ଆଜି ଓ ଆସନ୍ତାକାଲି କାଳବୈଶାଖୀ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୭/୫: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅହସ୍ୟ ଗୁଳୁଗୁଳି ସହ ତାପମାତ୍ରା ପାଇଁ ଆଉଟ ପାଉଟ ଲୋକେ। ଆହୁରି ୪ ଦିନ ରାଜ୍ୟରେ ତାତି ଲାଗି ରହିବ । ତେବେ ଗୁଳୁଗୁଳି କମିବ । ଏହାରି ଭିତରେ କିଛି କିଛି ସ୍ଥାନରେ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।