ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଉଡିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୫: ଭୁବନେଶ୍ୱରରୁ ସିଧାସଳଖ ଦୁବାଇକୁ ବିମାନ ଯାତ୍ରା ସେବା ଆରମ୍ଭ ହେବ । ଆଜି ସଂଧ୍ୟାରେ ବିମାନ ବନ୍ଦରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୨୫ରୁ ଦୁବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି ଇଣ୍ଡିଗୋ ଫ୍ଲାଇଟ । ଫ୍ଲାଇଟ ପ୍ରଥମେ ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବ । ଏହା ପରେ ଭୁବନେଶ୍ୱରରୁ ବାହାରି ଦୁବାଇ ଯାତ୍ରା କରିବ । ଭୁବନେଶ୍ୱରରୁ ୬ଟା ୩୦ରୁ ବାହାରି ଦୁବାଇରେ ୯ଟା ୪୫ରେ ପହଞ୍ଚିବ ବିମାନ । ଏହି ସେବା ଓଡ଼ିଶାକୁ ପଶ୍ଚିମ , ମଧ୍ୟପ୍ରାଚ୍ୟ ଦେଶ ସମୂହ ତଥା ବିଶ୍ୱ ସହିତ ସଂଯୋଗ କରିବ । ପ୍ରାରମ୍ଭିକ ଉପହାର ସ୍ୱରୂପ ଯିବା କିମ୍ବା ଆସିବା ପାଇଁ ଟିକେଟର ମୂଲ୍ୟ ୧୦ ହଜାର ଟଙ୍କା ରହିଛି । ଉଭୟ ଯିବା ଆସିବା ପାଇଁ ୨୦ହଜାର ଟଙ୍କା ରଖାଯାଇଛି । ବିମାନରେ ମୋଟ ୧୮୬ ଜଣ ଯାତ୍ରା କରିବାର ସୁବିଧା ରହିଛି । ଏହି ବିମାନ ଚଳାଚଳ ବାଣିଜ୍ୟିକ କ୍ଷେତ୍ରରେ ପୁଞ୍ଜି ନିବେଶ ବାଟ ଖୋଲିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ । ତେବେ ଏହି ବିମାନ ସୋମବାର,ବୁଧବାର ଓ ଶୁକ୍ରବାର ଏହି ୩ ଦିନ ଯାତ୍ରା କରିବ ।