ପ୍ରଳୟ ରଚିବ ବାତ୍ୟା ମୋକା

ଭୁବନେଶ୍ୱର,୧୪/୫: ପ୍ରଳୟ ରଚିବ ବାତ୍ୟା ‘ମୋକା’ । ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ ।

ଶୁକ୍ରବାର ରାତିରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଥିବା ବେଳେ ଶନିବାର ରାତିରେ ମହାବାତ୍ୟା ରୂପ ନେଇଛି । ମହାସମୁଦ୍ର ଭଳି ବର୍ଷା ଓ ଭୟଙ୍କର ପବନ ଧରି ଏହା ଆଗକୁ ବଢୁଛି । ଲ୍ୟାଣ୍ଡଫଲ ବେଳକୁ ୨୪୦ କିମି ବେଗରେ ପବନ ମାଡ ହୋଇପାରେ ବୋଲି ଜେଟିଡବ୍ଲୁସି ସତର୍କ କରାଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ଆଜି ମଧ୍ୟାହ୍ନରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଗ ୧୮୦ କିମି ପ୍ରତି ଘଣ୍ଟା ରହିବ । ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୨୧୦ କିମି ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ମିଆଁମାର ଉପକୂଳ ଅଂଚଳରେ ମୋକା ପ୍ରଭାବରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି । ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ବାଂଲାଦେଶ ଓ ମିଆଁମାର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏବେ କେନ୍ଦ୍ରୀୟ ବଙ୍ଗୋପସାଗରର ଉତର-ପୂର୍ବ ଦିଗରେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ମୋକା ଗତି କରୁଛି ।