ଆଜିଠୁ ପୁଣି ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ବର,୬/୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ସପ୍ତାହ ହେଲା ମେଘୁଆ ପାଗ ସହ ବର୍ଷା ଲାଗି ରହିଥିଲା। କିନ୍ତୁ ଆଜିଠାରୁ ପାଗରେ ପରିବର୍ତ୍ତନ ହେବ । ରାଜ୍ୟରେ ଖରା ବଢ଼ିବା ସହ ତାପମାତ୍ରା ୩ରୁ ୫ଡିଗ୍ରି ଯାଏ ବଢ଼ିବ। ଫଳରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ। ଅନ୍ୟପଟେ ଶନିବାର ଦିନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ସେହି ଅଞ୍ଚଳରେ ହିଁ ୭ ତା‌ରିଖ ଦିନ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପଟି ଧୀରେଧୀରେ ଅଧିକ ଘନୀଭୂତ ହେବ ଓ ୮ ତାରିଖ ସୁଦ୍ଧା ଏକ ଅବପାତର ରୂପ ନେବାର ସୂଚନା ରହିଛି ।