ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନଙ୍କ ସହିଦ ଘଟଣା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୪: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି ଯେ ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ। ସେ ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ।