ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୬ ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି

ଭୁବନେଶ୍ୱର,୨୦/୪: ପ୍ରଚଣ୍ଡ ତାତିରେ ସିଝୁଛି ଓଡିଶା। ସକାଳ ୮ଟାରୁ ଆକାଶରୁ ନିଆଁ ବର୍ଷୁଛି ।  ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଆଖିରେ ରଖି ରାଜ୍ୟର ୬ଟି ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଇଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଶୁକ୍ରବାର ଠାରୁ ପାଗ ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ୨୧ ତାରିଖରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।