ଖୋର୍ଦ୍ଧାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦଘାଟନ କରିଛନ୍ତି।ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ। ପ୍ରତିଷ୍ଠାତା ପଦ୍ମଭୂଷଣ ଡ ଡି.ଆର ମେହେଟ୍ଟାଙ୍କ ଦ୍ବାରା ୧୯୭୫ ମସିହାରେ ଜୟପୁର ଫୁଟ୍‌ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା । ସାରା ବିଶ୍ବର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବଶୀଘ୍ର ଓଡିଶାର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇଦେବାର ଲକ୍ଷ୍ୟ ରହିଛି । ଭିନ୍ନକ୍ଷମମାନେ ସମାଜର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ। ଏଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।