ଇଣ୍ଡିଆନ କୋଷ୍ଟଗାର୍ଡ଼ର ତତ୍ୱାବଧାନରେ ପାରାଦୀପରେ ସମରାଭ୍ୟାସ ସାଗର କବଚ ଆରମ୍ଭ

ଭୁବନେଶ୍ୱର,୧୧/୪: ଉପକୂଳ ସୁରକ୍ଷା ନେଇ ପାରାଦୀପରେ ଆରମ୍ଭ ହୋଇଛି ଇଣ୍ଡିଆନ କୋଷ୍ଟଗାର୍ଡ଼ର ତତ୍ୱାବଧାନରେ ସମରାଭ୍ୟାସ ସାଗର କବଚ। ଆଜି ସକାଳ ୬ଟାରୁ ଏହି ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ସମରାଭ୍ୟାସରେ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଓଡ଼ିଶା ପୋଲିସ୍, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍ ଭାଗ ନେଇଛନ୍ତି । ମୁମ୍ବାଇ ଆକ୍ରମଣ ପରେ ଉପକୂଳ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇପଡ଼ିଥିଲେ । ତେଣୁ ଜଳପଥରେ କୌଣସି ପ୍ରକାର ଅନୁପ୍ରବେଶ ରୋକିବାକୁ ସତର୍କତା ବଢ଼ାଇବାକୁ ଏଭଳି ଅଭ୍ୟାସ କରାଯାଇଥାଏ । ଏଥିରେ ମକ୍ ଡ୍ରିଲ ବେଳେ ଦୁଇଟି ଟିମ୍ ଗଠନ କରାଯାଇ ଥାଏ । ବ୍ଲୁ ଟିମ୍ ଓ ରେଡ ଟିମ୍ । ରେଡ ଟିମ୍ ବାହ୍ୟ ଶତ୍ରୁପକ୍ଷ ହୋଇଥିବା ବେଳେ କିପରି ଏହାକୁ ପ୍ରତିହତ କରାଯିବ ସେଥିପାଇଁ ବ୍ଲୁ ଟିମ୍ କୌଶଳ ଆପଣେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଉପକୂଳ ସୁରକ୍ଷା ପାଇଁ ତତ୍ପର ହେବା ଓ ସଚେତନତା ବଢ଼ାଇବା ପାଇଁ ଏହି ଅଭ୍ୟାସ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ମଧ୍ୟ ସଚେତନ କରାଯାଇଥାଏ ।