ପ୍ରଚଣ୍ଡ ଖରା: ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୩ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର,୧୧/୪: ପ୍ରଚଣ୍ଡ ଖରାରେ ଆଉଟପାଉଟ ରାଜ୍ୟବାସୀ । ଏବେଠୁ ୪୦ ଡିଗ୍ରୀ ପାର କରିଛି ପାରଦ । ଆଜିଠୁ ତାତି ଆହୁରି ବଢିବ । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ଗ୍ରୀଷ୍ମ ପ୍ରବାହ ବଢିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଛି ପାରଦ ।