ଟ୍ୱିଟରର ଲୋଗୋ ପରିବର୍ତ୍ତନ, ନୀଳ ପକ୍ଷୀ ବଦଳରେ ଡଗି ଫଟୋ

ନୂଆଦିଲ୍ଲୀ,୪/୪: ଟ୍ୱିଟରର ମାଲିକାନା ପରିବର୍ତ୍ତନ ହେବା ପରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହେବାରେ ଲାଗିଛି । ଏହାରିମଧ୍ୟରେ ଆଜି ନୂଆ ଲୁକରେ ଟ୍ୱିଟର ଦେଖିବାକୁ ମିଳିଛି । ଟ୍ୱିଟରର ପୁରୁଣା ଲୋଗୋରେ ପରିବର୍ତ୍ତନ ହୋଇଛି। ଏଣିକି ନୀଳ ପକ୍ଷୀ ବଦଳରେ ‘ଡଗି’ ଫଟୋ ଦେଖିବାକୁ ମିଳିବ । ଟ୍ୱିଟର ମାଲିକ ଏଲନ୍ ମସ୍କ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗତକାଲି ରାତି ୧୨ଟା ୩୦ରେ ଏଲନ୍ ମସ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ । ଯେଉଁଥିରେ ଏକ ଡଗି ଡ୍ରାଇଭର ସିଟରେ ବସିଛି ଓ ଟ୍ରାଫିକ୍ ପୋଲିକୁ ନିଜର ଲାଇସେନ୍ସ ଦେଖାଉଛି । ଏହି ଲାଇସେନ୍ସରେ ନୀଳ ପକ୍ଷୀର ଫଟୋ ରହିଥିଲା । ଏହା ପରେ ଡଗି ଟ୍ରାଫିକ୍ ପୋଲିକୁ କହୁଛି, ଏହା ପୁରୁଣା ଫଟୋ । ଏହା ପରେ ଆଉ ଏକ ଟ୍ୱିଟ୍ କରି ଟ୍ୱିଟରର ନୂଆ ଲୋଗୋ ଆସିଥିବା ନେଇ ସୂଚନା ଦେଇଥିଲେ ଏଲନ୍ ମସ୍କ । ହେଲେ ଏହି ଲୋଗୋ କିଛି ସମୟ ପାଇଁ ରଖାଯାଇଥିଲା । ପରେ କୁକୁରକୁ ଲୋଗୋ ସ୍ଥାନରୁ ହଟାଇ ସେହି ସ୍ଥାନରେ ପୁଣି ଥରେ ନୀଳ ପକ୍ଷୀକୁ ରଖାଯାଇଛି ।

ଟ୍ବିଟର ଲୋଗୋ ପରିବର୍ତ୍ତନ ପରେ ଏଲନ୍ ମସ୍କ ଏକ ପୁରୁଣା ଟ୍ବିଟ୍ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ଟ୍ବିଟର ଲୋଗୋକୁ ନେଇ କ’ଣ ନୂଆ ପ୍ଲାଟଫର୍ମ ପାଇଁ ଏହା ଜୁରୁରୀ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ । ଟ୍ବିଟରକୁ କିଣି ନିଅନ୍ତୁ ଏବଂ ଏହାର ଲୋଗୋକୁ ପରିବର୍ତ୍ତନ କରିଦିଅନ୍ତୁ । ଏହାର ପ୍ରତିକ୍ରିୟା ଦେଇ ମସ୍କ କହିଥିଲେ, ଏହା ସବୁଠାରୁ ଭଲ ହେବ । ଏବେ ଲୋଗୋ କିଛି ସମୟ ପାଇଁ ପରିବର୍ତ୍ତନ କରି, ୟୁଜର୍ସକୁ ଦେଇଥିବା କଥା ରଖିଛି ବୋଲି ଟ୍ବିଟ୍ କରି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ମାସରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ଏଲନ୍ ମସ୍କ କିଣିଥିଲେ ।