ନୂଆଦିଲ୍ଲୀ,୧୨/୩: ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍ସ୍’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
‘ସିଆଇଏସ୍ଏଫ୍’ର ୫୪ତମ ‘ରାଇଜିଙ୍ଗ୍ ଡେ’ ପରେଡ୍’ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ନିର୍ମମ ଭାବେ ଦମନ କରାଯିବ।
ଗତ ୯ ବର୍ଷ ହେବ ‘ଏନ୍ଡିଏ’ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ବାନ ସବୁର ସଫଳ ମୁକାବିଲା କରୁଛି ବୋଲି ଗୁରତ୍ବର ସହ କହି ସେ କହିଛନ୍ତି ଯେ, କଶ୍ମୀରରେ ହିଂସା ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ଉତ୍ତରପୂର୍ବରେ ବିଦ୍ରୋହ ଏବଂ ବାମ ପନ୍ଥୀ ଚରମବାଦ ପ୍ରଭାବିତ ଅଞ୍ଚଳ ମଧ୍ୟ ହ୍ରାସ ପାଇଛି। ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଉଛି।