ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା

ଭୁବନେଶ୍ୱର,୨୫/୨: ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ହେବ। ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପଡ଼ିଲାଣି । ଗତକାଲି ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ସକାଳୁ ସୂର୍ଯ୍ୟଙ୍କ ତାପ ଖୁବ୍‌ ଅଧିକ ଥିଲା। ଭୁବନେଶ୍ବରରେ ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଛୁଇଁ ଯାଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ଓ ରାଜଧାନୀରେ ଏଭଳି ତାତି ଜାରି ରହିବ। ଓଡ଼ିଶା ଉପକୂଳ ନିକଟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ହେତୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ଯାଏ ଅଧିକ ରହିପାରେ। ମାର୍ଚ୍ଚ ପହିଲାରୁ ଅନେକ ସ୍ଥାନର ତାପମାତ୍ରା ଏକାବେଳକେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।