ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୩/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ପତ୍ର ଲେଖି ସେ ଅନୁରୋଧ କରିଛନ୍ତି  । ସେ ଉଲ୍ଲେଖ କରିଛନ୍ତି ଯେ  ଝାରସୁଗୁଡ଼ା କୋଲାବିରାର ଗୋଁଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗୋଁଣ୍ଡ ସମୁଦାୟର ଅନ୍ୟତମ ସର୍ବମାନ୍ୟ ମୁଖିଆ । ପୃଥିବୀର ସର୍ବପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଗୋଁଣ୍ଡ ସମୁଦାୟ ଓଡ଼ିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି। ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଝାରସୁଗୁଡ଼ାବାସୀ ଏବଂ ଗଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ।