ନବ ଦାସଙ୍କ ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋପାଳଙ୍କ ସରିଲା ନାର୍କୋ ଟେଷ୍ଟ

ଭୁବନେଶ୍ୱର,୧୧/୨: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୪ ଦିନ ବିତିଲାଣି। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ରହସ୍ୟର ଟେର ପାଉନି। ଏହାରିମଧ୍ୟରେ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଶେଷ ହୋଇଛି ନାର୍କୋ ଟେଷ୍ଟ । ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଇଥିଲା । ତାଙ୍କର ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ କରାଯିବା ପରେ ଇଞ୍ଜେକସନ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଗୁଳିକାଣ୍ଡ ଘଟଣାର ରହସ୍ୟ ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିଥିବା ଜଣାପଡିଛି । ତେବେ ଏବେ ସୁଦ୍ଧା କ୍ରାଇମ୍ବ୍ରାଂଚ ତରଫରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ ଅନୁମତି ମିଳିବା ପରେ ଗୋପାଳଙ୍କୁ ଓଡିଶାରୁ ଗୁଜୁରାଟକୁ ନିଆଯାଇଥିଲା । ସେଠାରେ ତାଙ୍କର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଏବେ ନାର୍କୋ ଟେଷ୍ଟ ସରିବା ପରେ ଆସନ୍ତାକାଲି ସୁଦ୍ଧା ଗୋପାଳକୁ ଧରି ଟିମ୍ ଓଡିଶା ଫେରିବ ବୋଲି ସୂଚନା ମିଳିଛି ।