ନବ ଦାସଙ୍କ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା,୭/୨: ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି। ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଏହାରି ଭିତରେ ଆଜି ଅଭିଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ। ବ୍ରଜରାଜନଗରର ଗାନ୍ଧୀ ଛକକୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ କ୍ରାଇମ ସ୍ପଟକୁ ଯାଇଥିବାବେଳେ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି । ମିଳିଥିବା ସୂଚନା ମୁତାବକ ସିନ ରିକ୍ରିଏସନ ପାଇଁ ଘଟଣା ଦିନ ଯେଉଁ ଗାଡି ଯେଉଁ ସ୍ଥାନରେ ଥିଲା ସେନେଇ କ୍ରମରେ ରଖାଯାଇଥିଲା। ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ସୂଚନାଯୋଗ୍ୟ ଯେ ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଗତ ରବିବାର ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ ।