ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା

ନୂଆଦିଲ୍ଲୀ, ୨୭/୧: ପରୀକ୍ଷା ପେ ଚର୍ଚ୍ଚାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟ କରିବା ବେଳେ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି।ସେ କହିଛନ୍ତି, ପିଲାମାନଙ୍କୁ ଚାପଗ୍ରସ୍ତ ନ କରିବାକୁ ମୁଁ ପିତାମାତାଙ୍କୁ ଅନୁରୋଧ କରୁଛି। କିନ୍ତୁ, ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନ କରିବା ଉଚିତ। ପିଲାମାନଙ୍କଠାରୁ ଅନେକ ଆଶା କରିବା ପରିବାର ଲୋକଙ୍କ ପକ୍ଷେ ସ୍ବାଭାବିକ। ଏଥିରେ କିଛି ଭୁଲ୍‌ ନହିଁ। କିନ୍ତୁ, ପରିବାର ଲୋକେ ଯଦି ସାମାଜିକ ପ୍ରତିପତ୍ତି ନିମନ୍ତେ ଏଭଳି ଆଶା କରୁଥାଆନ୍ତି, ତେବେ ତାହା ଚିନ୍ତାର କାରଣ ପାଲଟିଯାଏ। ଏହାସହ ହାର୍ଡ ୱାର୍କ’ ଏବଂ ‘ସ୍ମାର୍ଟ ୱାର୍କ’ ଭିତରୁ କେଉଁଟି ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ ଆଲୋଚନା ସମୟରେ ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିବାରୁ ସ‌େ କହିଲେ ଯେ, ଉଭୟରେ ଥିବା ଫରକ ବୁଝି ଆବଶ୍ୟକ ଫଳାଫଳ ହାସଲ ପାଇଁ ଉଦ୍ୟମ କରିବା ଉଚିତ।