ଚୀନର ବଢି ଚାଲିଛି ଉତ୍ପାତ, ମୁକାବିଲା ପାଇଁ ଭାରତ ଓ ଜାପାନ ଆରମ୍ଭ କଲା ସମରାଭ୍ୟାସ

ନୂଆଦିଲ୍ଲୀ,୧୬/୧: ଚୀନର ବଢିଚାଲିଥିବା ଆଧିପତ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନ ଚୀନର ମୁକାବିଲା ପାଇଁ ସାମରିକ ସହଯୋଗ ଆରମ୍ଭ କରିଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଦ୍ବିପାକ୍ଷିକ ବାୟୁ ସମରାଭ୍ୟାସ ‘ବୀର ଗାର୍ଡିଆନ’ ଆରମ୍ଭ ହୋଇଛି । ଆଜି ଏହା ଟୋକିଓ ନିକଟରେ ଥିବା ହ୍ୟାକୁରି ବାୟୁସେନା ଘାଟିଠାରେ ଆରମ୍ଭ ହୋଇଛି । ୧୧ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ୮ଟି ଲଢୁଆ ବିମାନ ଭାଗ ନେଇଛନ୍ତି । ଏଥିରେ ଭାରତର ୪ଟି ଲଢୁଆ ବିମାନ, ୨ଟି ପରିବହନ ବିମାନ ଓ ଗୋଟିଏ ରିଫୁଏଲିଂ ବିମାନ ଯୋଗ ଦେଇଛନ୍ତି ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ୧୫୦ କର୍ମଚାରୀ ଯୋଗ ଦେଇଛନ୍ତି ।