ସିଂହନାଥ ପୀଠରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣା, ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ୱର,୧୫/୧ : ସିଂହନାଥ ପୀଠରେ ଦଳାଚକଟାରେ ମୃତ୍ୟୁ ଘଟିଥିବା ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି । ସିଂହନାଥ ପୀଠରେ ଯେଉଁସବୁ କାର୍ଯ୍ୟକ୍ରମ ରହିଛି ତାକୁ ବାତିଲ କରାଯାଇଛି । ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସୂଚାନଯୋଗ୍ୟ ଯେ ମକର ସଂକ୍ରାନ୍ତିରେ ସିିଂହନାଥ ପୀଠ ନିକଟ ଟି-ବ୍ରିଜ୍ ଉପରେ ସନ୍ଧ୍ୟାରେ ଦଳଚକଟା ହୋଇଥିଲା । ଏଥିରେ ଜଣଙ୍କର ଜୀବନ ଯାଇଛି । ମୃତକଙ୍କ ନାଁ ଅଂଜନା ସ୍ୱାଇଁ ( ୪୫ ବର୍ଷ) । ଆହତଙ୍କୁ ବଡ଼ମ୍ବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ୨ ଜଣ ଶିଶୁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଶିଶୁଙ୍କୁ ଆଇସିୟୁରେ ଚିକିତ୍ସା ଚାଲିଛି । ଅନ୍ୟ ୩ ଜଣଙ୍କର ବି ଏସସିବିରେ ଚିକିତ୍ସା ଚାଲିଛି । କଟକ ଜିଲ୍ଲାପାଳ ଭାବନୀ ଶଙ୍କର ଚଇନି କହିଛନ୍ତି, ପୁଲିସ ଯେତିକି ଆକଳନ କରିଥିଲା, ତାଠାରୁ ଅଧିକ ଲୋକ ଥିଲେ । ତେଣୁ ଦଳାଚକଟା ହେଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପୋଲ ଉପରେ ୫୦ ହଜାର ଲୋକଙ୍କ ଭିଡ ଜମିଥିଲା ।