ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା

ଭୁବନେଶ୍ୱର,୪/୧: ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଫାଇଭ୍ ଜି ସେବା ସହିତ ରାଜ୍ୟର ଗ୍ରାମାଂଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରିବେ ।