ତିନିଦିନ ପରେ ସ୍ୱାଭାବିକ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର,୩/୨: ତିନିଦିନ ପରେ ସ୍ୱାଭାବିକ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ। ଭୁବନେଶ୍ୱର ସର୍କିଟ ହାଉସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ନୀତି ବିଭ୍ରାଟକୁ ନେଇ ହୋଇଥିବା କଳହର ସମାଧାନ କରାଯାଇଛି।ବୈଠକରେ ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ କଥା ମାନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କରିବାରେ ସାମିଲ ହୋଇଛନ୍ତି।