ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର,୩୧/୧୨: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ଏକ ମାର୍ଗଦର୍ଶିକା ଭିଡିଓ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏଥିରେ ସେ କହିଛନ୍ତି, ଅଧିକ ବେଗରେ ଗାଡ଼ି ଚଳାନ୍ତୁ ନାହିଁ। ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ନ ଚଳାଇବା ଭଲା। ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ। ଜିରୋ ନାଇଟ୍ ସେଲିବ୍ରେସନକୁ ଯାଉଥିଲେ, ସାଙ୍ଗରେ ଚାଳକଙ୍କୁ ଧରି ଯାଆନ୍ତୁ। ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ରାସ୍ତରେ ଗାଡ଼ି ନ ରଖିବାକୁ ବି ସତର୍କ କରିଛନ୍ତି। ଗାଡ଼ିକୁ ଠିକ୍ ଭାବେ ଲକ୍ କରି ଜିରୋ ନାଇଟ୍ ସେଲିବ୍ରେସନରେ ଯୋଗ ଦେବାକୁ କହିଛନ୍ତି ଭୁବନେଶ୍ୱର ଡିସିପି। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଖୋଲା ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ଆୟୋଜନ ପାଇଁ ରାତି ୧୦ ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ କମିସନରେଟ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଛି। ଏଣେ ରାଜଧାନୀରେ ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ନିୟୋଜିତ ହେବେ ।