ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୯ଜଣଙ୍କ ମୃତ୍ୟୁ, ୨୮ଜଣ ଆହତ

ନୂଆଦିଲ୍ଲୀ,୩୧/୧୨: ଗୁଜୁରାଟ ନବସାରୀ ଜିଲ୍ଲାରେ ଆଜି ଭୋର ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ସହ ଫର୍ଚୁନର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହି ଘଟଣା ନବସାରୀ ୪୮ ନଂ ଜାତୀୟ ରାଜପଥରେ ଘଟିଛି । ଫର୍ଚୁନରରେ ୮ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକମାନେ ଅଙ୍କଲେଶ୍ୱର ପ୍ରୋ ଲାଇଫପ୍ ଫାର୍ମାର କର୍ମଚାରୀ ବୋଲି ଜଣାପଡିଛି । ବସରେ ଥିବା ଜଣେ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଉ ଏକ ଦୁଃଖଦ ଘଟଣା ହେଉଛି ଦୁୁର୍ଘଟଣା ପରେ ବସ୍ ଡ୍ରାଇଭରଙ୍କର ହୃଦଘାତ ହୋଇଥିଲା । ଘଟଣାର ସୂଚନା ପାଇବା ମାତ୍ରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଫର୍ଚୁନର ଏଭଳି କ୍ଷତିଗ୍ରସ୍ତ ହୋଇଥିଲା ଯେ ଏହାକୁ ଗ୍ୟାସ କଟରରେ କଟାଯାଇ ମୃତକଙ୍କୁ ବାହାର କରାଯାଇଥିଲା ।