ଚିମିନି ଇଟାଭାଟିରେ ବିସ୍ଫୋରଣ, ୯ ଜଣ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୪/୧୧: ବିହାର ରାଜ୍ୟ ମୋତିହାରୀ ନିକଟରେ ଥିବା ଏକ ଚିମିନି ଇଟାଭାଟିରେ ବିସ୍ଫୋରଣ ଘଟିଛି ।ଏହି ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଲୋକ ଭାଟିତଳେ ଚାପି ହୋଇ ରହିଛନ୍ତି । କେବଳ ସେତିକି ନୁହେଁ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ସେପଟେ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି କି ଏସଡିଆରଏଫ୍ ଟିମ୍ ତରଫରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଲୋକ ହୋଇଥିବା ବେଳେ ୩ ଜଣ ଉତ୍ତର ପ୍ରଦେଶର ବୋଲି ଚିହ୍ନଟ ହୋଇଛି ।