ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୧୩/୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟକୁ ଆଜି ସନ୍ଧ୍ୟାରେ ସ୍ଥଗିତ ରଖାଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍‌କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ  ସୂଚନା ରହିଛି।ସୂଚନାଯୋଗ୍ୟ ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ସୋମବାର ହିଂସାତ୍ମକ ରୂପ ନେଇଥିଲା। ଶୀର୍ଷ ଅଦାଲତଙ୍କ ଚେତାବନୀ ପ‌ରେ ବି ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହା ସୁପ୍ରିମକୋର୍ଟଙ୍କୁ କ୍ଷୁବ୍ଧ କରିଥିଲା। ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏ ଆଜି ପର୍ଯ୍ୟନ୍ତ ୧୭ ଜଣ ଆଇନଜୀବୀ ଗିରଫ ହୋଇଥିଲେ। କୋର୍ଟ ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।