ସୋମବାର ଶପଥ ଗ୍ରହଣ କରିବେ ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା

ଭୁବନେଶ୍ୱର,୧୦/୧୨: ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ସୋମବାର ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ। ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍ ପଡ଼ିଛି।