ସାମୁଦ୍ରିକ ଝଡ଼ ମେଣ୍ଡୋସ ନେଲା ଭୀଷଣ ବାତ୍ୟାର ରୂପ

ଭୁବନେଶ୍ୱର,୯/୧୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମେଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରିବା ସହ ଚେନ୍ନାଇର ଦକ୍ଷିଣ-ପୂର୍ବ ଦିଗରେ ୩୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତି ସୁଦ୍ଧା ଏହା ଉତର ତାମିଲନାଡୁ, ପୁଡୁଚେରୀ ଓ ସଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଘଂଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବୋହିବା ସହ ମହାବଳୀପୁରମର ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ।