ଭୁବନେଶ୍ବର,୩୦/୧୧: ଆଜି ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ। କଟକ ଓ ଭୁବନେଶ୍ବରର ମେୟର ମଧ୍ୟ ଉଦଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିଥିଲେ। ଦେଶବିଦେଶର ଶିଳ୍ପପତିମାନଙ୍କୁ ନେଇ ଏହି ବହୁ ପ୍ରତୀକ୍ଷିତ ମହାସମାବେଶ ରାଜଧାନୀର ଜନତା ମଇଦାନରେ ଆରମ୍ଭ ହୋଇଛି। ଦେଶବିଦେଶରୁ ୧୦୦ରୁ ଅଧିକ ଶିଳ୍ପପତି ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମେକ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି।