ଚୀନରେ ବିକ୍ଷୋଭ : ରାସ୍ତାକୁ ଓହ୍ଳାଇଲେ ଲୋକେ, ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୯/୧୧: ଚୀନରେ ଜିରୋ କୋଭିଡ୍ ନୀତି ବିରୋଧରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ବ୍ୟାପୁଛି ଆନ୍ଦୋଳନ । ୧୩ ସହରରେ ଗଣବିକ୍ଷୋଭ ବ୍ୟାପକ ହେବାରେ ଲାଗିଛି । ହଜାର ହଜାର ଆନ୍ଦୋଳନକାରୀ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।

କୋଭିଡ୍ ନିୟମକୁ ତୁରନ୍ତ ହଟାଇବା ପାଇଁ ଦାବି ଉଠିଛି । କଟକଣା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ଏହା ସହ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଛିଡ଼ା ହୋଇଛି ବଡ଼ ଚ୍ୟାଲେଞ୍ଜ । ଜିନପିଙ୍ଗଙ୍କ ଶାସନ ବେଳେ କେବେ ବି ଏତେବଡ଼ ବିକ୍ଷୋଭ ହୋଇନଥିଲା । ରାଲି ଓ ବିକ୍ଷୋଭ ପ୍ରଥମେ କେବଳ ରାଜଧାନୀ ବେଜିଂ ଓ ସାଂଘାଇରେ ସୀମିତ ଥିଲା । ତାହା ଏବେ ବନାଗ୍ନି ପରି ଚେଙ୍ଗଡ଼ୁ, ଗୁଆଂଗଝୁ, ଉରୁମକି, ନାନଜିଙ୍ଗ ଓ ଉହାନ ପର୍ଯ୍ୟନ୍ତ ବ୍ୟାପିଲାଣି । ଗତକାଲି ଲୋକମାନେ ବାରିକେଡ ଭାଙ୍ଗିବା ସହ କୋଭିଡ୍ ଟେଣ୍ଟଗୁଡ଼ିକୁ ତଳେ ପକାଇ ଦେଇଥିଲେ ଏବଂ କୋଭିଡ୍ କଟକଣା ହଟାଇବାକୁ ଦାବି କରିଥିଲେ ।