କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୧୧: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ୮ଲକ୍ଷ ତୋଳାଳି ଏବଂ କର୍ମଚାରୀ ଜୀବିକା ପାଇଁ କେନ୍ଦୁପତ୍ର ଉପରେ ନିର୍ଭର କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଆଦିବାସୀ ପରିବାରର । ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନ୍ତର୍ଗତରେ ଏହାର ବିକ୍ରୟ କରାଯାଉଛି । ମାତ୍ର କେନ୍ଦୁପତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ସେମାନଙ୍କ ଆର୍ଥିକ ଜୀବନ ଗୁରୁତର ପ୍ରଭାବିତ ହୋଇଛି । ଏହାର ବିକ୍ରୟ ମୂଲ୍ୟ ହ୍ରାସ ହୋଇ ଲାଭର ପରିମାଣ ସଙ୍କୁଚିତ ହେଉଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବର୍ଷାଧିକ ସମୟ ହେଲା ଜିଏସଟି ପ୍ରତ୍ୟାହାର ପାଇଁ ଦାବି କରାଯାଉଛି ।