ଗୁଣ୍ଡିଚା ମନ୍ଦିରର ସ୍ଥିତି ତଦାରଖ କଲେ ଗଜପତି ମହାରାଜା

ପୁରୀ,୨୨/୧୧: ପୁରୀ ଗୁଣ୍ଡିଚା ମନ୍ଦିରରେ ଜଗମୋହନ ସହ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମରୁ ୩ଟି କଲମ ଓ ବିମରେ ଫାଟ ସୃ୍ଷ୍ଟି ହୋଇଥିଲା । ଏହାର କାମ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜ । ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ ଅଧିକାରୀ, ଉନ୍ନୟନ ପ୍ରଶାସକ ଆଦି ଉପସ୍ଥିତ ରହିଛନ୍ତି । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିପଦରେ ରହିଥିବା ସ୍ପଷ୍ଟ ହୋଇଥିଲା । ଚଳିତଥର ରଥଯାତ୍ରା ସମୟରେ ଏହି ଘଟଣା ନଜରକୁ ଆସିବା ପରେ ଅସ୍ଥାୟୀ ଭାବେ କ୍ଲାମ୍ପ ଦିଆଯାଇ ମରାମତି କରାଯାଇଥିଲା ଯେଭଳି ମହାପ୍ରଭୁଙ୍କ ନୀତିରେ ବ୍ୟାଘାତ ନଘଟିବ । ପୁର୍ଣ୍ଣାଙ୍ଗ ମରାମତି ୨ ମାସ ଭିତରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।