୨୬ରୁ ୩୧ ତାରିଖ ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ

ପୁରୀ, ୨୧/୧୨: ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ବୈଠକ ହୋଇଥିଲା। ସେହି ବୈଠକ ପରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ୨୩, ୨୪, ୨୫ରେ ଶ୍ରୀଜିଉଙ୍କୁ ସେବାୟତଙ୍କ ପରିବାର ଦର୍ଶନ କରିବେ । ପରିଚୟପତ୍ର ଦେଖାଇ ଦର୍ଶନ କରିବେ ସେବାୟତଙ୍କ ପରିବାର ସଦସ୍ୟ । ସେହିପରି ୨୬ରୁ ୩୧ ତାରିଖ ଯାଏ ପୁରୀ ସହରବାସୀ ଦର୍ଶନ କରିବେ ।

ପ୍ରତିଦିନ ୫ଟି ୱାର୍ଡର ଲୋକ କରିବେ ଦର୍ଶନ ଓ ୪ ଘଣ୍ଟା ଦର୍ଶନ ସମୟ ରହିବ। ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ ପ୍ରବେଶ କରିବେ । ଭକ୍ତଙ୍କ ଟୋକନ ସହ ଶ୍ରୀମନ୍ଦିର ଆଗରେ ଫଟୋ ଉଠାଯିବ । ସେଥିପାଇଁ ୮ରୁ ୧୦ଟି କାଉଣ୍ଟର ହେବ । ପୁରୀ ଲୋକଙ୍କ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ନିଆଯିବ ।

କିନ୍ତୁ ପୁରୀ ସହର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବନି । ସକାଳ ୭ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ କରିହେବ । ବାହାର ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଜାନୁଆରି ୩ରେ ସମସ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ବୋଲି ସୂଚନା ମିଳିଛି।