ଆସନ୍ତା ସପ୍ତାହରୁ ରାଜ୍ୟରେ ଅନୁଭୂତ ହେବ ଅଧିକ ଥଣ୍ଡା

ଭୁବନେଶ୍ବର ,୧୦/୧୧: ଆସନ୍ତା ସପ୍ତାହରୁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କେତେକ ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପଡ଼ିବ। ଏହାବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ପାଗ ଶୁଖିଲା ରହିବା ସହ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତ୍ତନ ହେବ ନାହିଁ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୨ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତନ ହେବ ନାହିଁ। ଏହାପରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।