କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା

ଭୁବନେଶ୍ୱର,୭/୧୧: ଆସନ୍ତାକାଲି ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି । ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି । ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି । ତେବେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପଟେ ଦୁଇ ବର୍ଷ ପରେ ଆକର୍ଷଣୀୟ ଯାତ୍ରା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ବାଲିଯାତ୍ରା କମିଟି ।

ଅନ୍ୟପଟେ କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ଲକ୍ଷାଧିକ ଲୋକଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ନୂଆ କରି ଖୋଲା ଯାଇଥିବା ପୋଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି । ତଳ ଓ ଉପର ବାଲିଯାତ୍ରା ପଡିଆ ସିସିଟିଭି ବଳୟରେ ରହିଛି । ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ ।ତେବେ ଯାତ୍ରା ପୂର୍ବରୁ ପାର୍କିଂ ସ୍ଥାନ ଓ ଦରକୁ ନେଇ ଦେଖାଦେଇଛି ଅସନ୍ତୋଷ । ଦୁଇ ଚକିଆ ପାଇଁ ପୂର୍ବରୁ ପାର୍କିଂ ଫି ୩୦ ଟଙ୍କା ଥିବା ବେଳେ ଏଥର ୫୦ ଟଙ୍କା କରାଯାଇଛି ।