ଗାଡି ଚାଳକ ସାବଧାନ, ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୧୮/୧୦: ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ। ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍‌ ମଧ୍ୟ ସାମିଲ ହେବ। ଏହି ସ୍ପେଶାଲ ଡ୍ରାଇଭରେ ଫୋକସରେ ରହିବ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା। ଯେଉଁମାନେ ଏହିସବୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଧରାଯାଇ ଫାଇନ୍‌ ଆଦାୟ ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।