ରୋଷେଇ ଘରେ ମହଙ୍ଗା ମାଡ଼: ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର,୧୫/୧୦: ଏବେ କାର୍ତ୍ତିକ ମାସ ଅର୍ଥାତ ଆରମ୍ଭ ହୋଇଛି ଧର୍ମ ମାସ । ଅଧିକାଂଶ ଲୋକେ ଏହି ମାସରେ ଆମିଷ ଭୋଜନ କରନ୍ତିନି। ଠିକ୍ ଏତିକି ବେଳେ ଆକାଶ ଛୁଆଁ ହୋଇଛି ପରିବା ଦର । ପ୍ରାୟ ସବୁ ସବୁଜ ପରିବା କିଲୋ ୬୦ ଟଙ୍କା ଉପରେ ରହିଛି । ଆମିଷ ଖର୍ଚ୍ଚଠୁ ବଳେଇ ପଡ଼ୁଛି ନିରାମିଷ ଭୋଜନ । ଅନ୍ୟପଟେ ଛତୁ ଓ ପନିର ଦର ମଧ୍ୟ ବୃଦ୍ଧି ପାଇଛି। ଏଣେ ବଜାର ଦରବୃଦ୍ଧି ଯୋଗୁଁ ହୋଟେଲ ମିଲ ଦର ମଧ୍ୟ ବଢ଼ି ଯାଇଥିବାରୁ କର୍ମଜୀବୀମାନେ ଏହାର ଶିକାର ହେଉଛନ୍ତି । ଏବେ ଆଳୁ ଓ ପିଆଜ କିଲୋ ୨୫ରୁ ୩୫ ଟଙ୍କା ରହିଛି । କିନ୍ତୁ ବାକି ସବୁ ପରିବା ଦର ଆକାଶ ଛୁଆଁ ରହିଛି । ଭେଣ୍ଡି, ଟମାଟୋ, ଗାଜର, ପୋଟଳ, ସାରୁ କିଲୋ ୬୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ ୮୦ଟଙ୍କା, ବିନଓ ୧୦୦ଟଙ୍କା, ମାଟି ଆଳୁ ୯୦ଟଙ୍କା ରହିଛି ।