ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ସହିଦ

ନୂଆଦିଲ୍ଲୀ,୫/୧୦: ଅରୁଣାଚଳପ୍ରଦେଶର ତବାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ସହିଦ ହୋଇଥିବା ସୂଚନା ମିଳିଛି ।ଏହି ଦୁର୍ଘଟଣା ସକାଳ ପାଖାପାଖି ୧୦ଟା ସମୟରେ ହେଲିକପ୍ଟର ଉଡାଣ ଭରୁଥିବାବେଳେ ଘଟିଛି । ଏଥିରେ ୨ଜଣ ପାଇଲଟ୍ ଥିଲେ । ଦୁର୍ଘଟଣାରେ ଲେପ୍ଟେନାଣ୍ଟ କର୍ଣ୍ଣଲ ସୌରଭ ଯାଦବଙ୍କ ପରଲୋକ ହୋଇଥିବାବେଳେ ଅନ୍ୟ ପାଇଲଟଙ୍କର ଚିକିତ୍ସା ଚାଲିଥିବା ସେନା ଅଧିକାରୀ କହିଛନ୍ତି । ମିଳିଥିବା ସୂଚନା ମୁତାବକ, ହେଲିକପ୍ଟର ଚିତା ଜେମିଥାଙ୍ଗର ବିଟିକେ ଅଞ୍ଚଳ ପାଖ ନ୍ୟାମଜଙ୍ଗ ଚୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । କିନ୍ତୁ ଏଯାଏଁ ଦୁର୍ଘଟଣାର କାରଣ ଜଣାପଡିନାହିଁ ।