ରାଜ୍ୟର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର,୧୮/୯: ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବରେ ଉପକୂଳରେ ପାଣିପାଗ ବଦଳିଥିବାବେଳେ ଆଜିଠୁ ବର୍ଷା ଆରମ୍ଭ ହୋଇଛି। ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଆଜି କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, ବାଲେଶ୍ଵର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ସେହିଭଳି ୧୯ ତାରିଖରେ ୧୭ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୨୦ ତାରିଖରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୨୧ରେ ମଧ୍ୟ ବର୍ଷା ଅଧିକ ରହିବ। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ସାଗରରେ ପବନର ବେଗ ୪୫ ରୁ ୫୫ କିମି ବେଗ ରହିବ। ଫଳରେ ୨୦ ରୁ ୨୨ ତାରିଖ ମଧ୍ୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ନ ଯିବାକୁ ସତର୍କ କରାଯାଇଛି।