ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୫/୯: ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇଛନ୍ତି । ବିଏସିରେ ବେଲ୍ ବଜାଇବାର ଚିତ୍ର ଏବେ ସାମ୍ନାକୁ ଆସିଛି । ଜାତୀୟ ସ୍ତରରେ ଏବେ ନବୀନଙ୍କ ପତିଆରା ବଢ଼ିବାରେ ଲାଗିଛି । ଏଥିପାଇଁ ନିକଟରେ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇଛନ୍ତି । ମୁମ୍ବାଇ ଗସ୍ତରେ ଥିବା ନବୀନ ପ୍ରଥମ ଦିନରେ ଅର୍ଥାତ୍ ବୁଧବାର ବିଶିଷ୍ଟ ଶିଳ୍ପପତି ଓ ବ୍ୟାଙ୍କର୍ସଙ୍କୁ ଭେଟିଥିଲେ । ଆସନ୍ତା ନଭେମ୍ବରରେ ହେବାକୁଥିବା ମେକ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟ କରିବାର ସୁନ୍ଦର ସମ୍ଭାବନା, ଅନୁକୂଳ ବାତାବରଣ ଥିବା ନେଇ ଶିଳ୍ପପତି ଓ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଭେଟିଥିବା ଶିଳ୍ପପତିମାନଙ୍କ ଭିତରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖରା ଆଦି ରହିଛନ୍ତି ।