ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ଭିତରେ ଗୁଳିବିନିମୟ, ଜଣେ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୧୨/୯: ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ବି ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି । ଉଭୟ ପକ୍ଷରୁ ଗୁଳିବିନିମୟ ଜାରିରହିଥିବା ସୂଚନା ମିଳିଛି । ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାର ହେଫ ସିରମଲ ଅଞ୍ଚଳରେ ଏହି ଗୁଳିବିନିମୟ ହେଉଛି । ପୋଲିସକୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଏହି ଅଞ୍ଚଳରେ କିଛି ଆତଙ୍କୀ ଗତିବିଧି ଜାରି ରହିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେହି ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପଟରୁ ଗୁଳିବିନିମୟ ପରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି।