ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ : ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୮/୯: ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଆସନ୍ତାକାଲି ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ଖୋର୍ଦ୍ଧା ଏବଂ ପୁରୀ । ସେହିପରି ୧୦ ତାରିଖରେ କୋରାପୁଟ, କନ୍ଧମାଳ, ଗଜପତି, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୧ତାରିଖରେ ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ । ୧୨ ତାରିଖରେ ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ସମ୍ବଲପୁର, ସୋନପୁର, ବୋଲିଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା ଏବଂ କଟକ ।