ଆସନ୍ତାକାଲି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ, ଜୋରଦାର ପ୍ରସ୍ତୁତି କରୁଛି ବିଜେଡି

ଭୁବନେଶ୍ୱର,୫/୯: ଆସନ୍ତାକାଲି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହେବାର ଅଛି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ଅଛି । ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ବିରାଟ କଟ୍-ଆଉଟ୍ ସହ ମଞ୍ଚର ବ୍ୟବସ୍ଥା କରାଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଦଳୀୟ କର୍ମୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ କରିଛି । ପ୍ରାୟ ୧ ଲକ୍ଷ ଲୋକ ଏଥିରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସବୁ ବ୍ୟବସ୍ଥାର ତଦାରଖ କରୁଛନ୍ତି । ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ୧ ଘଣ୍ଟା ଧରି ହେବାକୁ ଥିବା ବେଳେ ଲୋକ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି କମିସନରେଟ୍ ପୁଲିସ । ସବୁ ଛକରେ ପୁଲିସ ଫୋର୍ସ ମୂତୟନ ରହିବେ । ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ ରହିବେ । ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବିମାନବନ୍ଦରକୁ ଯାଉଥିବା ବ୍ୟକ୍ତିଙ୍କୁ ୩ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି ।