ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍

ନୂଆଦିଲ୍ଲୀ,୫/୯: ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍ । ମୋଟ ୮୧ଟି ଭୋଟରୁ ହେମନ୍ତ ସୋରେନ୍ ସରକାରକୁ ୪୮ ଜଣ ବିଧାୟକ ସମର୍ଥନ ଦେଇଛନ୍ତି । ତେବେ ଭୋଟିଂ ସମୟରେ ବିରୋଧୀ ଦଳ ଏହାକୁ ବ୍ୟାକଆଉଟ୍ କରିଥିଲା । ଏହି ସମୟରେ ହେମନ୍ତ ସୋରେନ୍ ବିଧାନସଭାରେ ନିଜର ସମ୍ବୋଧନ ରଖିଥିଲେ ।

ବିରୋଧୀ ବିଜେପି ଉପରେ ବର୍ଷିବା ସହିତ ହେମନ୍ତ ସୋରେନ୍ କହିଥିଲେ, ବିରୋଧୀ ବିଜେପି ନିର୍ବାଚନ ଜିତିବାକୁ ଦେଶର ଦଙ୍ଗାକୁ ପ୍ରୋତ୍ସାହିତ କରିବା ସହିତ ଗୃହଯୁଦ୍ଧ ଭଳି ସ୍ଥିତି ଉତ୍ପନ୍ନ କରୁଛି । ଏହାସହ ସରକାର ଭାଙ୍ଗିବାକୁ ବିଜେପି ଝାଡଖଣ୍ଡର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ସୋରେନ୍ ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଲଟକି ରହିଥିବା ବେଳେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ଆଜି ଆସ୍ଥା ଭୋଟରେ ପାସ୍ ହେଇଛି । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିିଲା ।