୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଅଛି ସାମିଲ

ଭୁବନେଶ୍ୱର,୨୪/୮: ରାଜ୍ୟରେ ବନ୍ୟା ଯୋଗୁଁ ଏବେ ବି ଲୋକେ ବାସହରା ହୋଇ ଏଣେ ତେଣେ ମୁଣ୍ଡ ଗୁଂଜୁଛନ୍ତି। ଏବେ ବନ୍ୟା ପାଣି କମୁଥିବା ବେଳେ ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି । ଆଭ୍ୟନ୍ତରିଣ ସହ ପଶ୍ଚିମ ଓଡିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଏହି ସବୁ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇାବାର ସମ୍ଭାବନା ରହିଛି । ସେହିପରି ଆହୁରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି । ବିଶେଷକରି କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।