ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର,୨୩/୮:ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଥାନାରେ କରିଥିବା ଅଭିଯୋଗ ଉପରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ଯିବା ପରେ ପ୍ରକୃତି କହିଛନ୍ତି, ସେ ଦେଇଥିବା ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କାହାର ସମ୍ପତି ନୁହଁନ୍ତି ଯିଏ ଚାହିଁବି ମାଡ ମାରିବ । ଏତଲା ଆଧାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ପ୍ରକୃତି ମିଶ୍ର । ସୂଚନାଯୋଗ୍ୟ ଯେ ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।

ପ୍ରକୃତିଙ୍କ ବିରୋଧରେ ମଧ୍ୟ ତୃପ୍ତି ଥାନାରେ ଅଭିଯୋଗ କରିଥିଲେ । ପ୍ରକୃତି ତାଙ୍କ ସ୍ୱାମୀ ବାବୁସାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବା ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ମନାକରିବା ସତ୍ୱେ ବାବୁସାନଙ୍କୁ ବ୍ଲାକମେଲ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ଡାକି ପଚରାଉଚୁରା କରିଥିଲା ।