ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୬/୮: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା କରିଛନ୍ତି। ବନ୍ୟା ସ୍ଥିତି ସମୀକ୍ଷା ପରେ ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଯେପରି କୌଣସି ଜୀବନ ହାନି ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦିଆଯିବା ଉପରେ ବି ସେ ଗୁରୁତ୍ବାରୋପ କରିଛନ୍ତି। ଏହାଛଡ଼ା ଏନଡିଆରଏଫ୍, ଓଡ୍ରାଫ୍ ଓ ଫାୟାର ଟିମକୁ ଉଦ୍ଧାର କାମରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏନେଇ ସେ ସ୍ୱାସ୍ଥ୍ୟ, ଜଳଯୋଗାଣ ଓ ପଞ୍ଚାୟତିରାଜ ବିଭାଗକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜୀବନ ମୂଲ୍ୟବାନ। ଯେପରି ଗୋଟିଏ ଜୀବନ ହାନି ନ ହୁଏ, ଯୋଗାଯୋଗରେ ଯେପରି ଗୁରୁତର ବିଭ୍ରାଟ ନ ହୁଏ, ତାହା ସୁନିଶ୍ଚିତ କର। ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହେଉଥିବାରୁ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।