କୁଚିଣ୍ଡା ଓ ପାଟଣାଗଡଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୩/୮: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ। ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡ୍‌ରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ ଗୋଟି ଟ୍ରେଡ୍‌ରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ରହିଛି । ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।