ଏହି ଖାଦ୍ୟ ସାମଗ୍ରୀ ଖୋଲାରେ ବିକ୍ରି କଲେ ଲାଗିବନି ଜିଏସଟି

ନୂଆଦିଲ୍ଲୀ,୧୯/୭: ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ନେଇ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟୁଇଟ୍ ସେୟାର କରିଛନ୍ତି । ଏହି ଟୁଇଟରେ ସେ ଏକ ଲିଷ୍ଟ ସେୟାର କରିବା ସହିତ ୧୪ଟି ଖାଦ୍ୟ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ଜିଏସଟି ଲାଗୁ ହେବନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ଲିଷ୍ଟରେ ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଯାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସେୟାର କରି କହିଛନ୍ତି ଯେ, ଏହି ସବୁ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।