ଅମରନାଥରେ ରେସ୍କ୍ୟୁ ଅପରେସନରେ ବାୟୁସେନାର ଏମଆଇ-୧୭ ହେଲିକ୍ୟାପ୍ଟର ସାମିଲ

ନୂଆଦିଲ୍ଲୀ,୯/୭: ଅମରନାଥରେ ରେସ୍କ୍ୟୁ ଅପରେସନ ରେ ସାମିଲ ହେଲା ବାୟୁସେନାର ଏମଆଇ-୧୭ ହେଲିକ୍ୟାପ୍ଟର । ଗତକାଲି ହୋଇଥିବା ବାଦଲଫଟା ବର୍ଷାରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି । ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଣ୍ଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି । ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି । ଗତ ମାସ ୩୦ ତାରିଖରୁ ହିଁ ୪୩ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା ।