ଭୁବନେଶ୍ୱର,୮/୭: ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହା ସହ ସେ ଆହୁରି କହିଥିଲେ କି “ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ବିଦେଶରେ ଥାଇ ମୋ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି । ଆହୁରି କାମ ବାକି ଅଛି, ଆପଣଙ୍କ ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ ଓ ଓଡ଼ିଶା ସୁନ୍ଦର ଭାବରେ ବଢ଼ିବ” ବୋଲି କହିଥିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଦେଲେ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।