ୟୁକ୍ରେନର ବଡ ମଲରେ ରକେଟ୍ ମାଡ

ନୂଆଦିଲ୍ଲୀ,୨୮/୦୬: ଯୁଦ୍ଧକୁ ୪ ମାସ ହେଲାଣି ତଥାପି ୟୁକ୍ରେନ ଉପରେ ଋଷର ରାଗ ଥିମିବାର ନା ନେଉନି । ଆଜି ୟୁକ୍ରେନର ଏକ ଜନବହୁଳ ସ୍ଥାନରେ ଥିବା ମଲ ଉପରେ ମିସାଇଲ ମାଡ କରିଛି ଋଷ । ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି । ୟୁକ୍ରେନ ବାୟୁସେନାର କହିବା ମୁତାବକ, କ୍ରେମେନଚୁକ୍ ସହରରେ ଥିବା ସପିଙ୍ଗ ମଲ୍ ଉପରେ ଋଷ ଆକ୍ରମଣ କରିଛି । କେଏଚ୍-୨୨ ଆଣ୍ଟି ସିପ୍ ମିଶାଇଲରେ ଏହାକୁ ଟାର୍ଗେଟ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଋଷର କ୍ରୁରତା ଓ ବର୍ବରତା ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ମଲ୍ ଜଳୁଥିବାର ଦୃଶ୍ୟର ଭିଡିଓ ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଏହି ମଲରେ ୧ହଜାରରୁ ଅଧିକ ଲୋକ ଥିଲେ । ତେବେ ଏଯାଏଁ ମୃତକଙ୍କ ସଂଖ୍ୟା ସଠିକ ଭାବେ ଆକଳନ କରାଯାଇପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜେଲେନସ୍କି କହିଛନ୍ତି ।